ବଉରୀ ବନ୍ଧୁ ସ୍ୱାଇଁ

ଭଗବାନ ସାରା ବିଶ୍ୱକୁ ରକ୍ଷା କରନ୍ତୁ

୪ ମିନିଟ୍‌ର ପଢ଼ା

ଏହି ଲେଖା ପଢ଼ିପାରିବେ English

ଆମେ ଜାଣିଛୁ ବିଶ୍ୱନିୟନ୍ତା ଭଗବାନ ସର୍ବ ବିଦ୍ୟମାନ ଓ ସର୍ବ ଶକ୍ତିମାନ । ତାଙ୍କ ଇଚ୍ଛା ବିନା ଗଛପତ୍ର ସୁଦ୍ଧା ହଲେନା । କିନ୍ତୁ ଏବେ ଯାହା ଜଣାପଡ଼ୁଛି ଭଗବାନ ସବୁ ଦେଖି ମଧ୍ୟ ନ ଦେଖିଲା ଭଳିଆ । ଆମେ ଭାଗବତରେ ପଢ଼ିଛୁ — 'କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ ।' ଏଣୁ ଏବେ ସାରା ବିଶ୍ୱରେ ଯେଉଁ ଅସ୍ଥିରତା, ଅଶାନ୍ତି, ଦୁଃଖଦ ଘଟଣା ଦୁର୍ଘଟଣା, ଦୁର୍ନୀତି, ଅତ୍ୟାଚାର, ହିଂସାତ୍ମକ କାର୍ଯ୍ୟକଳାପ ଇତ୍ୟାଦି ବଢ଼ି ବଢ଼ି ଚାଲିଛି, ଏସବୁ କ'ଣ ଭଗବାନ କରାଉଛନ୍ତି ନା ତାଙ୍କ ଅଜାଣତରେ ଦୁଷ୍ଟ ମଣିଷମାନେ ଏସବୁ କାଣ୍ଡ ଭିଆଉଛନ୍ତି ।

ଏ ପରିପ୍ରେକ୍ଷୀରେ ବିଶ୍ୱର କେତେକ ସାମ୍ରାଜ୍ୟ ବିସ୍ତାରବାଦୀ ରାଷ୍ଟ୍ର ପରମାଣୁ କ୍ଷମତାରେ ବଳିୟାନ ହୋଇ ଧରାକୁ ସରା ବୋଲି ମନେ କରୁଛନ୍ତି ଏବଂ ଭଗବାନଙ୍କ ସୃଷ୍ଟିରେ ଦୁର୍ବଳ ରାଷ୍ଟ୍ରମାନଙ୍କୁ କରାୟତ କରି ରଖିବା ପାଇଁ ନାନା ପ୍ରକାର ଫନ୍ଦିଫିକର କରୁଛନ୍ତି ଏବଂ ଯୁଦ୍ଧର ଧମକ ମଧ୍ୟ ଦେଉଛନ୍ତି । ସେମାନେ ଚାହାଁନ୍ତି ତାଙ୍କର ସ୍ୱାର୍ଥ ହାସଲ ପାଇଁ ଦୁର୍ବଳ ରାଷ୍ଟ୍ରମାନେ ତାଙ୍କ କଥାରେ ଉଠବସ ହୁଅନ୍ତୁ, ନଚେତ୍ ତାଙ୍କ ଉପରେ ଅନୈତିକ ଆର୍ଥିକ କଟକଣା ଓ ବାସନ୍ଦ ନୀତି ଲଗାଇବା ଦ୍ୱାରା ସେଥିରେ ପ୍ରଭାବିତ ହୋଇ ସାଧାରଣ ଜନତା ଦୁଃଖ କଷ୍ଟରେ କାଳାତିପାତ କରିବାକୁ ବାଧ୍ୟ ହେବେ ।

ବର୍ତ୍ତମାନ ସାରା ବିଶ୍ୱରେ ଯୁଦ୍ଧର କଳାବାଦଲ ଦେଖାଦେଲାଣି । ଗତ କିଛି ବର୍ଷ ଧରି ୟୁକ୍ରେନ୍ ଉପରେ ଶକ୍ତିଶାଳୀ ରୁଷିଆର ଆକ୍ରମଣ, ଇସ୍ରାଏଲର ଗାଜା ଦଖଲ ପାଇଁ ଘନଘନ କ୍ଷେପଣାସ୍ତ୍ର ମାଡ଼, ଯୁକ୍ତରାଷ୍ଟ୍ର ଆମେରିକାର ପ୍ରୋତ୍ସାହନରେ ଇରାନର ପରମାଣୁ ଭିତ୍ତିଭୂମିକୁ କେନ୍ଦ୍ର କରି ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧର ଘନଘଟା ଯୋଗୁଁ ଅନେକ ନିରୀହ ଲୋକ ମୃତ୍ୟୁମୁଖରେ ପଡ଼ିଲେଣି । ଏହା ଛଡ଼ା ପରମାଣୁ ଓ ଜୈବିକ ଅସ୍ତ୍ରରେ ବଳୀୟାନ ଉତ୍ତରକୋରିଆର ବିଶ୍ୱସମ୍ପ୍ରଦାୟକୁ ଧମକ ସମସ୍ତଙ୍କ ପାଇଁ ଚିନ୍ତାର କାରଣ । ସର୍ବୋପରି ଆମ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଯେମିତି ଆମ ଦେଶକୁ ସନ୍ତ୍ରାସବାଦୀ ସବୁ ପଠାଇ ଛାୟାଯୁଦ୍ଧ ଚଲାଇଛି ଏବଂ ଅନେକ ହିଂସାକାଣ୍ଡ ଘଟାଉଛି ତାହା ସମଗ୍ର ଏସିଆ ଓ ବିଶ୍ୱଶାନ୍ତି ପାଇଁ ଘୋର ବିପଦ ସୃଷ୍ଟି କରୁଛି ।

ବର୍ତ୍ତମାନ ସାରା ବିଶ୍ୱରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଯେପରି ଆଣବିକ ଅସ୍ତ୍ର ଅଧିକାରୀ ହେବା ନିମନ୍ତେ ତୀବ୍ର ପ୍ରତିଯୋଗିତା ଚାଲିଛି, ତାହା ଭବିଷ୍ୟତରେ ସମଗ୍ର ମାନବ ସମାଜ ତଥା ଜୀବଜଗତ ପାଇଁ ଘୋର ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । କିଛି ବୈଜ୍ଞାନିକଙ୍କ ମତରେ ସାରା ବିଶ୍ୱରେ ବିଭିନ୍ନ ରାଷ୍ଟ୍ର ପାଖରେ ଯେଉଁ ପରିମାଣର ଆଣବିକ ଅସ୍ତ୍ରଶସ୍ତ୍ର ମହଜୁଦ ଅଛି, ଯଦି ତାହା ଏକାବେଳେ ବ୍ୟବହୃତ ହୁଏ, ତା'ହେଲେ ସାରା ବିଶ୍ୱ ଏବଂ ଜୀବଜଗତ କେଇ ମିନିଟରେ ଧ୍ୱଂସ ପାଇଯିବ ।

ସାରା ବିଶ୍ୱ ପ୍ରତି ଅନ୍ୟ ଏକ ବିପଦ ହେଉଛି ମନୁଷ୍ୟକୃତ ବିଶ୍ୱ ତାପମାତ୍ରା ବୃଦ୍ଧି । ଫଳରେ ଉତ୍ତର ମେରୁ ଅଞ୍ଚଳରୁ ବିରାଟକାୟ ଗ୍ଲାସିଏର୍ (ବରଫଖଣ୍ଡ) ସବୁ ତରଳି ସମୁଦ୍ର ଜଳପତ୍ତନ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇ ବନ୍ୟା, ସୁନାମୀ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମୁଦ୍ର ତଟବର୍ତ୍ତୀ ସହର ଓ ଜନବସତି ସବୁ ଲୋପ ହୋଇଯିବ । ଏସବୁ କଥା ଜାଣି ସୁଦ୍ଧା ନିଜକୁ ସବୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଓ ଧୀସମ୍ପନ୍ନ ବିଜ୍ଞାନୀ ବୋଲାଉଥିବା ମଣିଷର ଚେତା ପଶୁନି ।

ଏ ତ ଗଲା ସମଗ୍ର ବିଶ୍ୱ ପ୍ରତି ଆସନ୍ନ ବିପଦର କାହାଣୀ । ଏବେ ଆମ ଦେଶ କଥା ଚିନ୍ତା କରିବା । ଆମ ଦେଶରେ ଦୁର୍ନୀତି, ଅନୀତି, ନାରୀ ନିର୍ଯ୍ୟାତନା, ନାବାଳିକା ଯୌନ ଅତ୍ୟାଚାର, ଗଣଧର୍ଷଣ ତଥା ଅପରାଧିକ କାର୍ଯ୍ୟକଳାପ ସବୁ ବଢ଼ି ବଢ଼ି ଚାଲିଛି । ଦୁର୍ବୃତ୍ତମାନେ ଜଙ୍ଗଲ ସମ୍ପଦ, ଖଣି ଖାଦାନ ଆଦି ଲୁଟ୍ କରିବାରେ ଲାଗିପଡ଼ିଛନ୍ତି । ଆଧୁନିକ ଜୀବନଶୈଳୀର ଦ୍ୱାହି ଦେଇ ସଭ୍ୟ ମଣିଷ ଜଙ୍ଗଲ ସବୁ କାଟି ବଡ଼ ବଡ଼ ସହର, କୋଠାବାଡ଼ି ନିର୍ମାଣ, ଅତ୍ୟଧିକ କଳକାରଖାନା ନିର୍ମାଣ ଓ ଯାନବାହାନ ଚଳାଚଳ ଯୋଗୁଁ ସେଥିରୁ ନିର୍ଗତ ବିଷାକ୍ତ ବାଷ୍ପ ଓ ରାସାୟନିକ ବସ୍ତୁ ସମଗ୍ର ବାୟୁମଣ୍ଡଳକୁ ପ୍ରଦୂଷଣ କରିବା ସହିତ ନଦୀ, ନାଳ ମଧ୍ୟ ବିଷାକ୍ତ ହୋଇପଡ଼ୁଛି ।

ଆଉ ଗୋଟିଏ ଉଦ୍‌ବେଗର କଥା — କିଛି ଦୁର୍ବୃତ୍ତ ଦେବାଦେବୀଙ୍କୁ ଭୟ ନକରି ତାଙ୍କ ଆଭୂଷଣ ସବୁ ଚୋରି ନେଉଛନ୍ତି । କିଛି ଦୁର୍ବୃତ୍ତ ବିଭିନ୍ନ ମନ୍ଦିରରେ ପୂଜା ପାଉଥିବା ମୂଲ୍ୟବାନ ଦେବାଦେବୀଙ୍କ ମୂର୍ତ୍ତି ସବୁ ଚୋରି କରି ଅନ୍ତରାଷ୍ଟ୍ରୀୟ ବଜାରରେ ବିକ୍ରି କରି କୋଟି କୋଟି ଟଙ୍କା ପାଉଛନ୍ତି । ଏବେ ଆମ ମନରେ ପ୍ରଶ୍ନ ଉଠୁଛି ଏସବୁ ବିଭ୍ରାଟର ପ୍ରତିକାର ପାଇଁ ଭଗବାନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସେ କ'ଣ ଧୃତରାଷ୍ଟ୍ର ପରି ସବୁ ଜାଣି ନୀରବ ?

ଭଗବାନ ପରା ଗୀତାରେ କହିଥିଲେ —

ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ । ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ॥ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ । ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ॥

ତେଣୁ ଉତ୍ତମ ଲୋକମାନେ ସମାଜରେ ଟିକି ରହିବା ପାଇଁ ତାଙ୍କର ଯୋଜନା କ'ଣ ? ସମାଜରେ ଘୋର ବିଶୃଙ୍ଖଳା ଦେଖାଦେଲେ ସେ ତାଙ୍କର ଭିଣ୍ଟୋ କ୍ଷମତା ପ୍ରୟୋଗ କରି ଅଲୌକିକ ଭାବେ ଦୁଷ୍ଟମାନଙ୍କୁ ସାବାଡ଼ କରନ୍ତୁ । ସାରା ବିଶ୍ୱକୁ ଧ୍ୱଂସ ମୁଖରୁ ରକ୍ଷା କରନ୍ତୁ ।

କେଶରପୁର, କଟକ — ୭୫୩୦୦୧

  • ବିଷୟ
  • ବିଶ୍ୱ ଓ ସମାଜ
  • ପରିବେଶ